ସ୍ୱାମୀଜୀଙ୍କ ବିଷୟରେ

ପୂଜ୍ଯ ସ୍ୱାମୀ ଆନନ୍ଦଜୀ ମହାରାଜ ୧୮ ଏପ୍ରିଲ ୧୯୫୦ ମସିହାରେ ଓଡ଼ିଶାର ଏକ ସୁପ୍ରତିଷ୍ଠିତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସ୍ୱାମୀଜୀ ଖ୍ୟାତନାମା ଅନୁଷ୍ଠାନଗୁଡ଼ିକରେ ଶିକ୍ଷା ଲାଭ କରିଥିଲେ ଏବଂ ତାଙ୍କ ପିତାମାତା ତାଙ୍କୁ ଉଚ୍ଚଶିକ୍ଷା ପାଇଁ ବିଦେଶ ପଠାଇବାକୁ ଯୋଜନା କରିଥିଲେ। ତେବେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଥିବା ସମୟରେ, ମାତ୍ର ଉନବିଂଶ ବର୍ଷ ବୟସରେ ସ୍ୱାମୀଜୀ ସାଧାରଣ ମନୁଷ୍ୟ ଜୀବନର ଅର୍ଥହୀନତାକୁ ହୃଦୟଙ୍ଗମ କରିଥିଲେ I ଜୀବନର ଗଭୀର ଅର୍ଥକୁ ଅନ୍ୱେଷଣ କରିବାର ଏକ ତୀବ୍ର ଜିଜ୍ଞାସା ତାଙ୍କୁ ବ୍ୟାକୁଳିତ କରିଥିଲା । ଏହି ଅନ୍ତର୍ଦ୍ୱନ୍ଦରେ ବ୍ୟାକୁଳିତ ହୋଇ ସେ ତାଙ୍କ ଅଧୟନ ଛାଡି ମାନସିକ ଶାନ୍ତି ଉଦ୍ଦେଶ୍ୟରେ ସାରା ଭାରତ ଭ୍ରମଣ କରିଥିଲେ।

ଏହି ସତ୍ଯର ଅନ୍ୱେଷଣ ଅବସରରେ, ସ୍ୱାମୀଜୀ ଭାରତର ପୂର୍ବ ଉପକୂଳରେ ଅବସ୍ଥିତ ଏକ ତୀର୍ଥ ସ୍ଥାନ ପୁରୀର ସାଗର ତଟରେ ଥିବା ଏକ ଛୋଟ ଆଶ୍ରମକୁ ଐଶ୍ୱରୀୟ ନିର୍ଦ୍ଦେଶ ଦ୍ୱାରା ପରିଚାଳିତ ହୋଇ ଆସିଥିଲେ I ସେଠାରେ, ସ୍ୱାମୀଜୀ ତାଙ୍କ ପୂଜ୍ଯ ଗୁରୁ – ଦିବ୍ଯଧାମର ଅଧିଷ୍ଠାତ୍ରୀ, ମା’ ଭାବମୟୀ ପରମହଂସଙ୍କୁ ଭେଟିଥିଲେ ଓ ତା ପରେ ତାଙ୍କ ଜୀବନ ଏକ ନୂତନ ମୋଡ ନେଇଥିଲା I
ଜୀବନର ଗଭୀର ଅର୍ଥ ଅନ୍ୱେଷଣ ପାଇଁ ତାଙ୍କୁ ମାର୍ଗଦର୍ଶନ କରି ପାରୁଥିବା ଜଣେ ପ୍ରକୃତ ଗୁରୁଙ୍କୁ ଖୋଜିବା ଉଦ୍ଦେଶ୍ୟରେ ସ୍ୱାମୀଜୀ ହିମାଳୟ ଯିବାକୁ ଇଚ୍ଛା ପୋଷଣ କରିଥିଲେ ଏବଂ ପୂଜ୍ୟା ମା’ଙ୍କ ସହ ତାଙ୍କର ପ୍ରାରମ୍ଭିକ ସାକ୍ଷାତ ସମୟରେ ଏହା ପ୍ରକାଶ କରିଥିଲେ।

ମା’ ତାଙ୍କୁ ଗଭୀର ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକ ସହିତ ଉତ୍ତର ଦେଇଥିଲେ –

“ତୁମେ ଯେଉଁଠିକି ଯିବ, ତୁମ ମନକୁ ସାଥିରେ ନେଇକରି ଯିବ କି ନାହିଁ ? ଯଦି ମନରେ ଶାନ୍ତି ନାହିଁ, ତେବେ ତୁମେ ଯେଉଁଠିକି ଯିବ ସେଠାକୁ ନିଜର ମାନସିକ ଦ୍ୱନ୍ଦ୍ୱକୁ ସାଥିରେ ନେବନାହିଁ କି ?“

ମା’ଙ୍କର ଏହି ସରଳ ବାକ୍ୟର ସତ୍ୟତା ତାଙ୍କ ହୃଦୟର ଗଭୀରତାରେ ପ୍ରବେଶ କରିଥିଲା I ନମ୍ର ଏବଂ ଅସହାୟ ହୋଇ ସେ ମା’ଙ୍କୁ ତାଙ୍କ ଅଶାନ୍ତ ମନକୁ ଶାନ୍ତ କରିବାକୁ ଅନୁରୋଧ କରିଥିଲେ। ଏହା ପରଠାରୁ ସ୍ୱାମୀଜୀଙ୍କର ଜୀବନର ଏକ ନୂତନ ଯାତ୍ରାର ଅୟମାରମ୍ଭ ହୋଇଥିଲା ଏବଂ ପୂଜ୍ୟା ମା’ ତାଙ୍କୁ ଶିଷ୍ଯ ରୂପେ ଗ୍ରହଣ କରି କ୍ରିୟାଦୀକ୍ଷା ପ୍ରଦାନ କରିଥିଲେ I

ସ୍ୱାମୀଜୀ ମା’ଙ୍କ ଠାରୁ ଦୀକ୍ଷା ନେବାପରେ, ମା’ଙ୍କ ନିର୍ଦ୍ଦେଶିତ ମାର୍ଗଦର୍ଶନରେ କଠୋର ସାଧନା ଆରମ୍ଭ କରିଥିଲେ। ତାଙ୍କ ଗୁରୁଙ୍କ ଦିବ୍ଯ କୃପା ବଳରେ, ସେ ଖୁବ ଶୀଘ୍ର ଗଭୀର ଧ୍ୟାନ ଓ ଅତ୍ୟନ୍ତ ଚମତ୍କାର ଆଧ୍ଯIତ୍ମିକ ଅନୁଭୂତି ଲାଭ କରିଥିଲେ ଓ ଆତ୍ମ-ଉପଲବ୍ଧିର ପଥରେ ତୀବ୍ର ଗତିରେ ଆଗେଇ ଯାଇଥିଲେ ।

୧୯୮୬ ମସିହାରେ ହରିଦ୍ୱାରରେ ଆୟୋଜିତ କୁମ୍ଭ ମେଳା ସମୟରେ ସ୍ୱାମୀଜୀ ସନ୍ନ୍ୟାସ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ‘ସ୍ୱାମୀ ଆନନ୍ଦ’ ଭାବେ ପରିଚିତ ହୋଇଥିଲେ। ଏହା ପରେ, ପୂଜ୍ୟା ମା’ ଙ୍କ ନିର୍ଦ୍ଦେଶ ପାଳନକରି, ସ୍ୱାମୀଜୀ ନିଷ୍ଠାପର ଅନୁସନ୍ଧିତ୍ସୁମାନଙ୍କର ମାର୍ଗଦର୍ଶନ କରିବା ପାଇଁ ନିଜକୁ ଉତ୍ସର୍ଗ କରିଥିଲେ। ଶ୍ରୀ ଗୁରୁଙ୍କ ଇଚ୍ଛାକୁ ପୂରଣ କରିବା ନିମନ୍ତେ, ସେ ୟୁରୋପ, ଜାପାନ ଏବଂ ଚିଲି ଯାତ୍ରା କରିଥିଲେ I

ଜୀବନର ପ୍ରକୃତ ଅର୍ଥ ଅନୁସନ୍ଧାନରେ ଇଛୁକ ବହୁ ସାଧକମାନଙ୍କୁ ସେ ଜ୍ଞାନପୂର୍ଣ୍ଣ ବାର୍ତ୍ତା ଏବଂ ବ୍ଯକ୍ତିଗତ ମାର୍ଗଦର୍ଶନ ଦ୍ୱାରା ସତ୍ ମାର୍ଗରେ ଆଗେଇନେଇଛନ୍ତି ଓ ପ୍ରକୃତ ସାର ବସ୍ତୁ – ଦିବ୍ୟ ଆଲୋକ ଏବଂ ପରମ ଆନନ୍ଦର ଉତ୍ସ ଆବିଷ୍କାର କରିବାର ଉପାୟ ଶିଖାଇଛନ୍ତି । ଗୁରୁଙ୍କ ଶିକ୍ଷାରେ ନିହିତ ଏବଂ ନିଜ ଆଧ୍ୟାତ୍ମିକ ଅନୁଭୂତି ଦ୍ୱାରା ସମର୍ଥିତ ହୃଦୟସ୍ପର୍ଶୀ ବାର୍ତ୍ତା ଦ୍ୱାରା ଅନେକ ବ୍ଯକ୍ତିଙ୍କୁ ଆଧ୍ୟାତ୍ମିକ ମାର୍ଗରେ ଯାତ୍ରା କରିବା ପାଇଁ ପ୍ରେରଣା ପ୍ରଦାନ କରିଛନ୍ତି । ସ୍ୱାମୀଜୀଙ୍କର ମାର୍ଗଦର୍ଶନ ବିଶ୍ୱର ଅନେକଙ୍କ ଜୀବନକୁ ବଦଳାଇ ପାରିଛି ଓ ସେମାନେ ପୂଜ୍ୟା ମା’ ଏବଂ ସ୍ୱାମୀଜୀଙ୍କ ଦ୍ୱାରା ପ୍ରଦର୍ଶିତ ମାର୍ଗକୁ ଅନୁସରଣ କରିଛନ୍ତି।

ପୂଜ୍ୟା ଗୁରୁ ମା’ ମଇ ୨୦୦୨ ରେ ତାଙ୍କ ଦିବ୍ଯ ବାସସ୍ଥାନକୁ ବାହୁଡ଼ିଯିବା ପରଠାରୁ ସ୍ୱାମୀଜୀ ଦିବ୍ଯଧାମ ଯୋଗାଶ୍ରମର ସଭାପତି ଭାବରେ କାର୍ଯ୍ଯରତ ଅଛନ୍ତି । ସେ ତାଙ୍କ ଗୁରୁଙ୍କ ଶିକ୍ଷା ଏବଂ ଆଦର୍ଶକୁ ଏକ ଜୀବନ୍ତ ପରମ୍ପରା ଭାବରେ ବଜାୟ ରଖିଛନ୍ତି ଓ ସାଧକମାନଙ୍କୁ ସ୍ଥିର ଭାବରେ ଆଧ୍ୟାତ୍ମିକ ପଥରେ ଅଗ୍ରସର ହେବାପାଇଁ ମାର୍ଗଦର୍ଶନ କରୁଛନ୍ତି।